- Get link
- X
- Other Apps
ଭାରତବର୍ଷ ହେଉଛି ଏକ ସଂସ୍କୃତି ସମ୍ପନ୍ନ ରାଷ୍ଟ୍ର। ଏହା ତାର ସଂସ୍କୃତି, ପରମ୍ପରା, ଐତିହ୍ୟ, କଳା, ସ୍ଥାପତ୍ୟ ପାଇଁ ବିଶ୍ବବିଦିତ। ମାତ୍ର ହଜାର ହଜାର ବର୍ଷର ଏହି ସଂସ୍କୃତି ବିଦେଶୀମାନଙ୍କ ଲଗାତାର ଆକ୍ରମଣ ଫଳରେ କ୍ରମଶଃ ହ୍ରାସ ପାଇବାରେ ଲାଗିଥିଲା। ଭାରତୀୟମାନେ ଅନ୍ୟାୟ, ଅତ୍ୟାଚାରର ଶିକାର ହୋଇ ନିଜର ଅସ୍ତିତ୍ୱକୁ ଭୁଲିବା ଆରମ୍ଭ କରି ଦେଇଥିଲେ। ମାତ୍ର ଯେତେବେଳେ କୌଣସି ରାଷ୍ଟ୍ର ବା ସମାଜ ନିରନ୍ତର ସାମାଜିକ ବ୍ୟାଧି ଦ୍ୱାରା ଜର୍ଜରିତ ହୋଇ ନିଷ୍ପେସିତ ଓ ଅବହେଳିତ ହୁଏ, ସେତେବେଳେ ଜଣେ ଯୋଗଜନ୍ମା ମହାପୁରୁଷଙ୍କ ଆବିର୍ଭାବ ପୁନଶ୍ଚ ସମସ୍ତଙ୍କ ମନରେ ଭରିଦିଏ ନବ ଉନ୍ମାଦନା। ତାଙ୍କର ଐକ୍ଳାନ୍ତିକ ନିଷ୍ଠା ଓ ନିରବଚ୍ଛିନ୍ନ ଚେଷ୍ଟା ବଳରେ ସମଗ୍ର ସମାଜ ଜାଗ୍ରତ ହୋଇ ଉଠେ। ସେହିଭଳି ଜଣେ ଚିର ସ୍ମରଣୀୟ ଓ ନମସ୍ୟ ବ୍ୟକ୍ତି ହେଉଛନ୍ତି ସ୍ୱାମୀ ବିବେକାନନ୍ଦ। ଅତି ଅଳ୍ପ ଆୟୁ ମଧ୍ୟରେ ସେ କୋଟି କୋଟି ଭାରତୀୟଙ୍କ ପାଇଁ ଜଣେ ଆଦର୍ଶ ବ୍ୟକ୍ତି ଓ ପ୍ରେରଣାର ସ୍ରୋତ ପାଲଟି ଯାଇଥିଲେ। ଭାରତରେ ଧୀରେ ଧୀରେ ସୁପ୍ତ ହେବାକୁ ଯାଉଥିବା ସେହି ମହାନ ସନାତନ ହିନ୍ଦୁ ଧର୍ମକୁ ପୁନଶ୍ଚ ସମସ୍ତ ଭାରତୀୟଙ୍କ ହୃଦୟରେ ସେ ସ୍ଥାପନ କରିଥିଲେ। ଭାରତୀୟ ସମାଜରେ ଅତି କମ ବୟସରେ ସେ ସଂସ୍କାର ଆଣିବା ପାଇଁ ଆପ୍ରାଣ ଉଦ୍ୟମ କରୁଥିଲେ। ମାତ୍ର ତାଙ୍କୁ ପ୍ରକୃତ ପରିଚୟ ମିଳିଲା ଚିକାଗୋରେ ଆୟୋଜିତ ଧର୍ମ ସମ୍ମିଳନୀରେ।
୧୮୯୩ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆୟୋଜିତ ବିଶ୍ୱ ଧର୍ମ ସମ୍ମିଳନୀରେ ଭାରତ ଭଳି ଏକ ବିଶାଳ ସଂସ୍କୃତି ସମ୍ପନ୍ନ ରାଷ୍ଟ୍ରର ପ୍ରତିନିଧିତ୍ୱ କରିବାର ସୁଯୋଗ ଜଣେ ୩୦ ବର୍ଷ ବୟସର ଜଣେ ତରୁଣଙ୍କୁ ମିଳିବ, ଏ କଥା କେହି ବି ଚିନ୍ତା କରି ନଥିବେ। ଏଥିରୁ ଭାରତୀୟ ସଂସ୍କୃତି ଓ ପରମ୍ପରା ସମ୍ବନ୍ଧରେ ତାଙ୍କର ପ୍ରଗାଢ଼ ଜ୍ଞାନ ଓ ତାର ଉତ୍ଥାନ ପ୍ରତି ତାଙ୍କର ଅବଦାନ ସ୍ପଷ୍ଟ ପରିଲକ୍ଷିତ। ଭାଷଣର ପ୍ରାରମ୍ଭରେ ସେ ଯେତେବେଳେ ଉପସ୍ଥିତ ଶ୍ରୋତାମାନଙ୍କୁ ‘Ladies & Gentlemen' ବଦଳରେ ‘ଆମେରିକାର ମୋର ପ୍ରିୟ ଭାଇ ଓ ଭଉଣୀମାନେ’ ବୋଲି ସମ୍ବୋଧିତ କରିଥିଲେ, ସଭାଗାରଟି ତାଙ୍କ ପ୍ରଶଂସାରେ ଗୁଞ୍ଜରିତ ହୋଇ ଉଠିଥିଲା। ତା ପରେ ହିନ୍ଦୁତ୍ୱ ଓ ମହାନ ଭାରତୀୟ ପରମ୍ପରା ସମ୍ବନ୍ଧରେ ତାଙ୍କର ନିର୍ଭୀକ ଓ ବିସ୍ତୃତ ବକ୍ତବ୍ୟ ସମସ୍ତଙ୍କୁ ଚକିତ କରି ଦେଇଥିଲା। ବିବିଧ ଦେଶରୁ ଅନେକ ଜ୍ଞାନୀ ଓ ଅଭିଜ୍ଞ ବ୍ୟକ୍ତି ଉକ୍ତ ଧର୍ମ ସମ୍ମିଳନୀରେ ସାମିଲ ହୋଇଥିଲେ। ମାତ୍ର ସ୍ୱାମୀ ବିବେକାନନ୍ଦଙ୍କ ବକ୍ତବ୍ୟ ଶୁଣିଲା ପରେ ସେମାନେ ସମସ୍ତେ ବିସ୍ମିତ ହୋଇ ପରେ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ।
ମାନବତା, ଭ୍ରାତୃତ୍ବଭାବ, ସହିଷ୍ଣୁତା, ଧର୍ମ, ସମାଜ ପ୍ରତି ମାନବର କର୍ତ୍ତବ୍ୟ, ଦାନ, ଦୟା, କ୍ଷମା, ସ୍ନେହ, ପୁଣ୍ୟ ଏବଂ ସମଗ୍ର ବିଶ୍ୱକୁ ନିଜ ପରିବାର ଭାବେ ସ୍ୱୀକାର କରିବାର ମହାନ ଭାରତୀୟ ପରମ୍ପରା ଭଳି ଅଦ୍ଵିତୀୟ ବିଷୟବସ୍ତୁକୁ ଉପସ୍ଥାପନ କରିବା ଦ୍ୱାରା ହିନ୍ଦୁତ୍ୱର ଏକ ସ୍ୱତନ୍ତ୍ର ପରିଚୟ ସମଗ୍ର ବିଶ୍ୱରେ ସୃଷ୍ଟି ହୋଇପାରିଥିଲା। ‘ବସୁଧୈବ କୁଟୁମ୍ବକମ୍’ ର ମନ୍ତ୍ରରେ ସମସ୍ତେ ଆକର୍ଷିତ ହୋଇ ହିନ୍ଦୁ ଧର୍ମ ଓ ସମ୍ପ୍ରଦାୟର ଭୂୟସୀ ପ୍ରଶଂସା ମଧ୍ୟ କରିଥିଲେ। ବିବେକାନନ୍ଦଙ୍କର ସ୍ପଷ୍ଟ ଉଚ୍ଚାରଣ, ଉତ୍ତମ ବିଷୟବସ୍ତୁ ଉପସ୍ଥାପନ, ଉତ୍ତମ ଭାଷାଜ୍ଞାନ, ଆତ୍ମବିଶ୍ବାସ, ଅନ୍ୟମାନଙ୍କ ପ୍ରତି ସମ୍ମାନ ଓ ସହିଷ୍ଣୁତା- ଏ ସବୁ ଗୁଣ ସମଗ୍ର ଶ୍ରୋତାଙ୍କୁ ଆକର୍ଷିତ କରିଥିଲା।
ସ୍ୱାମୀ ବିବେକାନନ୍ଦ ଯେଉଁଭଳି ଭାବରେ ହିନ୍ଦୁତ୍ୱକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିଥିଲେ, ସେଥିରେ ପ୍ରଭାବିତ ହୋଇ ଅନେକ ବ୍ୟକ୍ତି ପରବର୍ତ୍ତୀ ସମୟରେ ହିନ୍ଦୁ ଆଚାର ଓ ବ୍ୟବହାରକୁ ଆପଣେଇ ନେଇଥିଲେ। ତନ୍ମଧ୍ୟରୁ ମାର୍ଗାରେଟ ନୋବେଲ ଅନ୍ୟତମ, ଯିଏକି ପରବର୍ତ୍ତୀ ସମୟରେ ଭଗିନୀ ନିବେଦିତା ନାମରେ ନାମିତ ହୋଇଥିଲେ। ହିନ୍ଦୁ ଦର୍ଶନ, ଶାସ୍ତ୍ର, ପୁରାଣ ସମ୍ପର୍କରେ ସେ ଉତ୍ତମ ରୂପେ ବ୍ୟାଖ୍ୟା କରି ବିଶ୍ୱ ଦରବାରରେ ଅନେକ ପ୍ରଶଂସା ପାଇବା ସହ ସମସ୍ତ ଭାରତୀୟଙ୍କ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ପାଲଟି ଯାଇଥିଲେ। ଆଜି ମଧ୍ୟ କୋଟି କୋଟି ଭାରତୀୟ ଜନତା, ମୁଖ୍ୟତଃ ଯୁବ ସମାଜ ତାଙ୍କ ପ୍ରଦର୍ଶିତ ପଥ ଅନୁସରଣ କରି ସମାଜକୁ ସଂସ୍କାରିତ କରିବାର ପ୍ରୟାସ କରୁଛନ୍ତି। ତାଙ୍କ ଭଳି ନିଷ୍ଠା, ତ୍ୟାଗ, ତପସ୍ୟାକୁ ନିଜ ଜୀବନରେ ପ୍ରୟୋଗ କଲେ ସମଗ୍ର ଯୁବ ସମାଜରେ ସଂସ୍କାର ଆସିବା ସହ ରାଷ୍ଟ୍ରକୁ ପୁନଶ୍ଚ ବିଶ୍ୱଗୁରୁରେ ପରିଣତ କରିବା ସମ୍ଭବପର ହୋଇପାରିବ।
ରୀତେଶ ରଂଜନ ମେହେର
ସମ୍ବଲପୁର ବିଶ୍ୱବିଦ୍ୟାଳୟ
Comments
Khub badhiya bhai.
ReplyDeleteCongrats ritesh babu
ReplyDeleteNice article 👍👍💐
Thank you
Deleteଅତି ସୁନ୍ଦର !🙏👌
ReplyDeleteଧନ୍ୟବାଦ
Delete