- Get link
- X
- Other Apps
ଗୋଟିଏ ରାଷ୍ଟ୍ରର ସର୍ବାଙ୍ଗୀନ ସମୃଦ୍ଧି ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହେଉଛି ମାନବ ସମ୍ବଳର ବିକାଶ। ମାନବ ସମ୍ବଳକୁ ବିକଶିତ କରିବା ପାଇଁ ଆବଶ୍ୟକ ଗୁଣବତ୍ତା ପୂର୍ଣ ଶିକ୍ଷା। ପ୍ରତ୍ୟେକ ରାଷ୍ଟ୍ର ନିଜର ମାନବ ସମ୍ବଳକୁ ଶିକ୍ଷିତ ଓ ସଂସ୍କାରିତ କରିବା ପାଇଁ ବିବିଧ ଶିକ୍ଷା ନୀତି ଆପଣେଇଥାନ୍ତି। ସ୍ୱତନ୍ତ୍ର ଭାରତରେ ୧୯୬୮ ଓ ୧୯୮୬ ମସିହାରେ ଶିକ୍ଷା ନୀତି ଆଗତ ହୋଇଥିଲା ଏବଂ ତୃତୀୟ ଶିକ୍ଷା ନୀତି ୨୦୨୦ ମସିହାରେ ଗୃହୀତ ହୋଇଛି। ଏହି ଶିକ୍ଷା ନୀତି ଭାରତର ନୀତି, ଆଦର୍ଶ, ବିଚାର, ମୂଲ୍ୟବୋଧ ଓ ସଂସ୍କାରକୁ ନଜରରେ ରଖି ନିର୍ମିତ ହୋଇଛି। ଏହା କେବଳ ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷିତ କରିବା ପାଇଁ ନୁହେଁ, ବରଂ ତାଙ୍କୁ ସମର୍ଥ ଓ ସକ୍ଷମ କରିବା ପାଇଁ ମଧ୍ୟ ଉଦ୍ଦିଷ୍ଟ। ଉକ୍ତ ଶିକ୍ଷା ନୀତିର ପ୍ରତିଟି ଅଂଶରେ ଭରି ରହିଛି ଭାରତୀୟତାର ଝଲକ। ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁସାରେ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍ତମ ପରିବର୍ତ୍ତନ ପାଇଁ ବ୍ୟବସ୍ଥା ରହିଛି ଜାତୀୟ ଶିକ୍ଷା ନୀତିରେ।
ସାମ୍ପ୍ରତିକ ଭାରତରେ ଛାତ୍ରଛାତ୍ରୀମାନେ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ହେବା ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏହି ଶିକ୍ଷା ନୀତି ୨୦୩୦ ସୁଦ୍ଧା ଶତ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା ଓ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ହୋଇଥିବା ଅଢ଼େଇ କୋଟି ବିଦ୍ୟାର୍ଥୀଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାର ଲକ୍ଷ୍ୟ ରଖିଛି। ଆର୍ଥିକ ସ୍ତରରେ ଦୁର୍ବଳ ଓ ବଞ୍ଚିତ ପରିବାରର ଶିଶୁଙ୍କୁ ମଧ୍ୟ ଉତ୍ତମ ଶିକ୍ଷା ପ୍ରାପ୍ତି ପାଇଁ ମାର୍ଗ ପ୍ରଶସ୍ତ କରିବାରେ ଏହାର୍ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ। ପୂର୍ବରୁ ଥିବା ୧୦+୨ ର ବ୍ୟବସ୍ଥାକୁ ପରିବର୍ତ୍ତନ କରାଯାଇ ୫+୩+୩+୪ ର ବ୍ୟବସ୍ଥା କରାଯାଇଛି ଯାହା ଦ୍ୱାରା ବିଦ୍ୟାର୍ଥୀର ପ୍ରାପ୍ତ ଜ୍ଞାନକୁ ପ୍ରତି ସ୍ତରରେ ନିର୍ଦ୍ଧାରିତ କରାଯାଇ ପାରିବ। ଏତତ୍ ବ୍ୟତୀତ ଆଞ୍ଚଳିକ ଭାଷାରେ ଶିକ୍ଷା ପ୍ରଦାନର ବ୍ୟବସ୍ଥା ପ୍ରଶଂସନୀୟ ଅଟେ, ଯାହା ଦ୍ୱାରା ବିଦ୍ୟାର୍ଥୀକୁ ଶିକ୍ଷା ଅର୍ଜନ କରିବାରେ ସମସ୍ୟା ରହିବ ନାହିଁ। ପାଠ୍ୟକ୍ରମ ଓ ସହପାଠ୍ୟକ୍ରମ ମଧ୍ୟରେ ଥିବା ବିଭେଦକୁ ଦୂର କରାଯାଇ ସମସ୍ତଙ୍କୁ ପୁସ୍ତକଗତ ଶିକ୍ଷାରେ ସୀମିତ ନ ରହି ଜ୍ଞାନର ପରିସୀମାକୁ ବୃଦ୍ଧି କରିବାର ସୁଯୋଗ ମିଳିବ। ଏହା ତାଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶରେ ବିଶେଷ ସହାୟକ ହେବ। ଏହା ସହ ପ୍ରତି ଶ୍ରେଣୀରେ ଭାରତୀୟ ସଂସ୍କୃତି ଓ ପରମ୍ପରା ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରିବା ଦ୍ୱାରା ଆମ ଦେଶର ବୈଭବଶାଳୀ ପରମ୍ପରା ଓ ଆଦର୍ଶରେ ଅନୁପ୍ରାଣିତ କରାଯାଇପାରିବ।
ଏହି ଶିକ୍ଷା ନୀତି ଛାତ୍ରଛାତ୍ରୀମାନଙ୍କୁ ଗ୍ରନ୍ଥକୀଟ ହେବା ବଦଳରେ ସକ୍ଷମ ଓ ଜ୍ଞାନୀ ହେବାରେ ସହାୟକ ହେବ। ମାଧ୍ୟମିକ ସ୍ତରରୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରିବା ଦ୍ୱାରା ଛାତ୍ରଛାତ୍ରୀ ଆତ୍ମନିର୍ଭରଶୀଳ ହୋଇପାରିବେ ଓ ପରବର୍ତ୍ତୀ ସମୟରେ ବେକାରୀ ସମସ୍ୟାକୁ ଦୂର କରିବା ସହଜସାଧ୍ୟ ହୋଇପାରିବ। ଜଣେ ବିଦ୍ୟାର୍ଥୀର ଶୈକ୍ଷିକ ବିକାଶର ଆକଳନ ପାଇଁ ‘ପରଖ’ର ସ୍ଥାପନା କରାଯାଇଛି। ସ୍ଥାନୀୟ କଳାକାର ଓ କାରିଗର ମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ମଧ୍ୟ ଏହି ଶିକ୍ଷା ନୀତିରେ ବ୍ୟବସ୍ଥା ରହିଛି। ଏତତ୍ ବ୍ୟତୀତ ନିୟମିତ ରିପୋର୍ଟ କାର୍ଡ ମାଧ୍ୟମରେ ଛାତ୍ରର ବିକାଶକୁ ଉତ୍ତମ ରୂପେ ବିଶ୍ଳେଷଣ କରାଯାଇପାରିବ।
ଉଚ୍ଚଶିକ୍ଷା କ୍ଷେତ୍ରରେ ଅନୁସନ୍ଧାନକୁ ପ୍ରୋତ୍ସାହନ ଦେବା ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ। ଏହା ବିଦ୍ୟାର୍ଥୀ ମାନଙ୍କୁ କେବଳ ସାର୍ଟିଫିକେଟ ପାଇବା ପାଇଁ ନୁହେଁ, ବରଂ ଶିକ୍ଷାକୁ ସୁଦୃଢ କରି ମାନବ ସମାଜର କଲ୍ୟାଣ ପାଇଁ ଉଦ୍ଦିଷ୍ଟ କରିବାକୁ ପ୍ରେରିତ କରିବ। ଏକାଡେମୀକ କ୍ରେଡିଟ ବ୍ୟାଙ୍କର ସ୍ଥାପନା, ବର୍ଗୀକୃତ ସ୍ଵାୟତ୍ତତା, ଶିକ୍ଷାର ଅନ୍ତର୍ଜାତୀୟକରଣ ଇତ୍ୟାଦି ଭାରତୀୟ ଉଚ୍ଚଶିକ୍ଷାକୁ ତାର ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇବାରେ ନିଶ୍ଚୟ ସହାୟକ ହେବ। ଜଟିଳ ଓ ବିବିଧ ନିୟମରେ ଭରପୁର ଥିବା ଶିକ୍ଷାବ୍ୟବସ୍ଥା ପରିବର୍ତ୍ତେ ଏକ ସରଳୀକୃତ ଓ ସୁବ୍ୟବସ୍ଥିତ ଶିକ୍ଷାବ୍ୟବସ୍ଥା ଗୃହୀତ ହୋଇଛି। ଶିକ୍ଷାର ମାନଦଣ୍ଡ ନିର୍ଦ୍ଧାରଣ କରାଯାଇ ବିଦ୍ୟାର୍ଥୀଙ୍କୁ ତଦନୁଯାୟୀ ସମର୍ଥ କରିବା ପାଇଁ ନୂତନ ବ୍ୟବସ୍ଥା କରାଯାଇଛି। ଉଚ୍ଚଶିକ୍ଷାରେ ବିଷୟ ନିର୍ବାଚନକୁ ନେଇ ପୂର୍ବରୁ ଥିବା କଟକଣାକୁ ବନ୍ଦ କରାଯାଇ ସମସ୍ତଙ୍କୁ ନିଜ ଇଚ୍ଛା ଓ ଆଗ୍ରହ ଅନୁଯାୟୀ ବିଷୟ ଚୟନ କରିବାର ସୁଯୋଗ ମିଳିବ। କଳା, ବିଜ୍ଞାନ, ବାଣିଜ୍ୟ- ପ୍ରତ୍ୟେକ ବିଭାଗର ଭିନ୍ନ ଭିନ୍ନ ବିଷୟକୁ ପଢ଼ିବାର ସୁଯୋଗ ସମସ୍ତଙ୍କୁ ମିଳିବ। ସ୍ନାତକରେ ଅଧ୍ୟୟନ କରୁଥିବା ସମୟରୁ ହିଁ ଗବେଷଣାକୁ ପ୍ରୋତ୍ସାହନ ମିଳିବା ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ ପଦକ୍ଷେପ। ସ୍ନାତକରେ ସାର୍ଟିଫିକେଟ କୋର୍ସ, ଡିପ୍ଲୋମା, ଡିଗ୍ରୀ ଓ ଗବେଷଣାଯୁକ୍ତ ସ୍ନାତକର ବିବିଧ କୋର୍ସ ଭିତରୁ ନିଜ ପସନ୍ଦ ମୁତାବକ କୋର୍ସ ଅଧ୍ୟୟନ କରିବାର ସୁଯୋଗ ମିଳିବ।
ଭାରତୀୟ ଉଚ୍ଚଶିକ୍ଷା ଆୟୋଗର ସ୍ଥାପନା ଦ୍ୱାରା ସମଗ୍ର ଦେଶର ଉଚ୍ଚଶିକ୍ଷାକୁ ନିୟନ୍ତ୍ରଣ କରାଯିବା ଫଳରେ ଶିକ୍ଷାର ସାମଗ୍ରିକ ବିକାଶ ସମ୍ଭବ। ଜାତୀୟ ଗବେଷଣା ପ୍ରତିଷ୍ଠାନର ସ୍ଥାପନା ନିଶ୍ଚିତ ଭାବରେ ବିଦ୍ୟାର୍ଥୀ ମାନଙ୍କୁ ଗବେଷଣା ପାଇଁ ପ୍ରୋତ୍ସାହନ ଦେବ ଓ ଶିକ୍ଷାକୁ ଉତ୍ତମ ଦିଗରେ ନେବା ପାଇଁ ପଥପ୍ରଦର୍ଶନ କରିବ। ଉଚ୍ଚଶିକ୍ଷା ସଂସ୍ଥାଗୁଡ଼ିକର ପ୍ରଶାସନର ଦାୟିତ୍ୱ ସ୍ୱତନ୍ତ୍ର ଶୈକ୍ଷିକ ଓ ପ୍ରଶାସନିକ ସ୍ୱାୟତ୍ତତା ସମ୍ପନ୍ନ ବୋର୍ଡ ଉପରେ ନ୍ୟସ୍ତ ରହିବ, ଯାହା ଦ୍ୱାରା ରାଜନୀତିକ ଦଳର ହସ୍ତକ୍ଷେପ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ। ବହୁବିଷୟୀ ଶିକ୍ଷା ଓ ଗବେଷଣା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଶିକ୍ଷାର ମାନକୁ ଆହୁରି ବୃଦ୍ଧି କରିବ। ଉଚ୍ଚଶିକ୍ଷା ସଂସ୍ଥାନଗୁଡିକୁ ଅନୁଦାନ ଦେବା ପାଇଁ ଉଚ୍ଚଶିକ୍ଷା ଅନୁଦାନ ପରିଷଦର ସ୍ଥାପନା କରାଯିବ। ଏତତ୍ ବ୍ୟତୀତ ଅନଲାଇନ ଓ ଡିଜିଟାଲ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯିବା ଦ୍ୱାରା ଏକବିଂଶ ଶତାବ୍ଦୀରେ ଛାତ୍ରସମାଜ ପାଦ ମିଳେଇ ଚାଲି ପାରିବେ। ରାଷ୍ଟ୍ରୀୟ ଶୈକ୍ଷିକ ପ୍ରଯୁକ୍ତିବିଦ୍ୟା ଫୋରମର ପ୍ରତିଷ୍ଠା, ସକଳ ଭାରତୀୟ ଭାଷାର ଜନନୀ ସଂସ୍କୃତକୁ ସମଗ୍ର ଦେଶରେ ପ୍ରଚଳିତ କରିବା, ଶ୍ରେଣୀଗୃହର ଶିକ୍ଷାକୁ ନୂତନ ଟେକ୍ନୋଲୋଜି ସହ ମିଶ୍ରଣ କରିବା, କେନ୍ଦ୍ରୀୟ ଶିକ୍ଷା ଉପଦେଷ୍ଟା ବୋର୍ଡର ଗଠନ ଇତ୍ୟାଦି ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ ପଦକ୍ଷେପ।
ଜାତୀୟ ଶିକ୍ଷା ନୀତି-୨୦୨୦ କୁ ଉତ୍ତମ ଭାବରେ ବିଶ୍ଳେଷଣ କଲେ ଜଣାଯାଏ ଯେ ଏହା ଏକ ସମାବେଶୀ ଶିକ୍ଷା ବ୍ୟବସ୍ଥା, ଯାହା ଦ୍ୱାରା ବିଦ୍ୟାର୍ଥୀର ସର୍ବାଙ୍ଗୀନ ବିକାଶ ଓ ଶିକ୍ଷାର ଗୁଣାତ୍ମକ ବିକାଶ ସମ୍ଭବପର ହୋଇପାରିବ। ପ୍ରାଥମିକ ଶିକ୍ଷାରୁ ଆରମ୍ଭ କରି ଉଚ୍ଚଶିକ୍ଷା ବ୍ୟବସ୍ଥାର ଶେଷ ସୋପାନ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଶିକ୍ଷାରେ ନୂତନ ସଂସ୍କାର ଏହା ଦ୍ୱାରା ଆସିବ। ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା କେବଳ ସାର୍ଟିଫିକେଟ ହାସଲ କରି ଚାକିରୀ କରିବା ପାଇଁ ପ୍ରୋତ୍ସାହନ କରୁଥିବା ବେଳେ ନୂତନ ଶିକ୍ଷା ନୀତି ଜ୍ଞାନ ଆହରଣ କ୍ଷେତ୍ରରେ ପ୍ରୋତ୍ସାହନ ଦେବ। ଏହା ଛାତ୍ରଛାତ୍ରୀଙ୍କୁ ସମର୍ଥ ଓ ସକ୍ଷମ କରିବା ସହ ଭାରତର ଭବିଷ୍ୟତକୁ ଆହୁରି ଗୌରବମୟ, ଉଜ୍ଜ୍ୱଳମୟ ଓ ବୈଭବଶାଳୀ କରିବାରେ ସହାୟକ ହେବ।
ରୀତେଶ ରଂଜନ ମେହେର
ସମ୍ବଲପୁର ବିଶ୍ୱବିଦ୍ୟାଳୟ
Comments
this article gives a clearcut description of NEC.
ReplyDelete