- Get link
- X
- Other Apps
ଓଡ଼ିଆ ସାହିତ୍ୟାମ୍ବରର ଚିର ଅମ୍ଳାନ ଜ୍ୟୋତିଷ୍କରାଜୀଙ୍କ ମେଳରେ ଅନ୍ୟତମ ଦୀପ୍ତିମନ୍ତ ସାରସ୍ଵତ ନକ୍ଷତ୍ର ହେଉଛନ୍ତି ଶାରଦାଙ୍କ ବରପୁତ୍ର ରଙ୍ଗାଜୀବ ଗଙ୍ଗାଧର। ସ୍ଵଭାବ କବି ଗଙ୍ଗାଧର ମେହେର ବାସ୍ତବରେ ଥିଲେ ଜଣେ ଅତ୍ୟନ୍ତ ଉଚ୍ଚକୋଟୀର କବି, ଯିଏ ଦାରିଦ୍ର୍ୟର କଷାଘାତରେ ଚିର ଜର୍ଜରିତ ହେବା ସତ୍ତ୍ୱେ ସାହିତ୍ୟ ସାଧନାରୁ ବ୍ୟାହତ ହୋଇ ନଥିଲେ। ତାଙ୍କ ଲେଖନୀ ମୂନରୁ ଶୁଦ୍ଧ ସୁବର୍ଣ୍ଣ ପରି ନିସୃତ ହୋଇଥିଲା କବିତାର ଅମୃତ ଧାରା। କବିତା ହେଉଛି କବି ହୃଦୟର ଛନ୍ଦୋବଦ୍ଧ ରସସିକ୍ତ ଅଭିବ୍ୟକ୍ତି। କବିତାରେ ପ୍ରକାଶିତ ହୁଏ କବି ହୃଦୟର ସକଳ ଭାବନା। ଏହା ଅବ୍ୟକ୍ତ କୁ ବ୍ୟକ୍ତ କରେ, ଅରୂପ କୁ ରୂପ ପ୍ରଦାନ କରି କୁତ୍ସିତ କୁ ମନୋହର ଭାବେ ଗଢ଼ି ତୋଳେ ଏବଂ ନଗଣ୍ୟ କୁ ମଧ୍ୟ ମହାନ ରୂପରେ ଅଭିବ୍ୟକ୍ତ କରେ। ଗଙ୍ଗାଧରଙ୍କ ସାହିତ୍ୟ ତାଙ୍କ ମହାନ ବ୍ୟକ୍ତିତ୍ୱର ଅଭିବ୍ୟକ୍ତି ର ଏକ ସୁଦୃଷ୍ଟ ନିଦର୍ଶନ। ଗଙ୍ଗାଧର କଦାପି ଅନ୍ୟ କବିଙ୍କ ରଚନାକୁ ଅନୁକରଣ କରୁ ନଥିଲେ, ବରଂ ନିଜସ୍ୱ ମାନସପଟର ଭାବନାକୁ ଲେଖନୀ ମାଧ୍ୟମରେ ପରିପ୍ରକାଶ କରୁଥିଲେ। ଏଣୁ ତାଙ୍କର କାବ୍ୟ କବିତା ରେ ସର୍ବଦା ନୂତନତ୍ଵ ପରିଲକ୍ଷିତ ହୁଏ। ମେହେର କବି ଓଡ଼ିଆ ସାହିତ୍ୟର ବିକାଶ ନିମିତ୍ତ ବହୁ ଉଲ୍ଲେଖନୀୟ ସାହିତ୍ୟ ସୃଷ୍ଟି କରି ହୋଇଯାଇଛନ୍ତି ଚିର ନମସ୍ୟ ଏବଂ ଚିର ସ୍ମରଣୀୟ। ଗଙ୍ଗାଧର ତିଳ ତିଳ କରି ନିଜକୁ ମାତୃଭୂମିର ସେବା ନିମନ୍ତେ ଉତ୍ସର୍ଗ କରିଦେଇଥିଲେ। ସେଥିପାଇଁ ସେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି।
ସଂକ୍ଷେପରେ ଜୀବନୀ:
ପଙ୍କରୁ ପଦ୍ମ ଓ ଶାମୁକାରୁ ମୁକ୍ତାର ସୃଷ୍ଟି ହେଲା ସମ କବି ଗଙ୍ଗାଧରଙ୍କ ଜନ୍ମ ତତ୍କାଳୀନ ସମ୍ବଲପୁର ତଥା ବର୍ତ୍ତମାନର ବରଗଡ଼ ଜିଲ୍ଲାର ଅଖ୍ୟାତ ବରପାଲି ଗ୍ରାମରେ ଏକ ଅତ୍ୟନ୍ତ ଦରିଦ୍ର ପରିବାରରେ ହୋଇଥିଲା। ଗଙ୍ଗାଧର; ଶ୍ରୀ ଚୈତନ୍ୟ ମେହେର ଓ ଶ୍ରୀମତୀ ସେବତୀ ଦେବୀଙ୍କ କୋଳ ମଣ୍ଡନ କରିଥିଲେ ୧୮୬୨ ଅଗଷ୍ଟ ୯ ତାରିଖରେ, ଠିକ୍ ଶ୍ରାବଣ ପୂର୍ଣ୍ଣିମା ଦିନ। ଆର୍ଥିକ ଅଭାବ-ଅନାଟନ ତାଙ୍କ ଉଚ୍ଚଶିକ୍ଷା ଲାଭ କରିବା କ୍ଷେତ୍ରରେ ବାଧକ ସୃଷ୍ଟି କରିଥିଲେ ହେଁ, ସେ ସାହିତ୍ୟ ସାଧନାରୁ ବ୍ୟାହତ ହୋଇ ନଥିଲେ। ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଲାଭ କରି କୌଳିକ ବୃତ୍ତି ଲୁଗାବୁଣା ମାଧ୍ୟମରେ ପେଟ ପାଟଣା କରୁଥିଲେ। ମାତ୍ର କିଏ ଜାଣିଥିଲା ଯେ, ଏକ ଦରିଦ୍ର ପରିବାରରେ ଜନ୍ମ ଲାଭ କରିଥିବା ଗଙ୍ଗାଧର ଦିନେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧି ର ଶୀର୍ଷ ପର୍ଯ୍ୟନ୍ତ ପହଞ୍ଚାଇ ପାରିବ ବୋଲି। ତାଙ୍କ ଦ୍ୱାରା ରଚିତ ତପସ୍ୱିନୀ, ପ୍ରଣୟ ବଲ୍ଲରୀ, ଇନ୍ଦୁମତି, କୀଚକ ବଧ, ଅଯୋଧ୍ୟା ଦୃଶ୍ୟ, ଅହଲ୍ୟାସ୍ତବ, ଅର୍ଘ୍ୟଥାଳି ପ୍ରଭୃତି ଓଡ଼ିଆ ସାହିତ୍ୟକୁ କରିଛି ଉନ୍ନତ, ପରିପୁଷ୍ଟ ତଥା ରୁଦ୍ଧିମନ୍ତ।
ପ୍ରକୃତି ଚିତ୍ରଣ:
ଏହି ବାଣୀପୁତ୍ରଙ୍କର ଅମୃତମୟ ଲେଖନୀ ସ୍ପର୍ଶରେ ଜଡ଼ ପ୍ରକୃତି ହୋଇଉଠିଛି ପ୍ରାଣବନ୍ତ। ବିବିଧ ରଙ୍ଗର ବର୍ଣ୍ଣାଳୀ ରେ ପ୍ରକୃତି ଚିତ୍ରଣ କରି ନିଜେ ହୋଇଯାଇଛନ୍ତି ରଙ୍ଗାଜୀବ ଗଙ୍ଗାଧର। ପ୍ରକୃତିପ୍ରାଣ ଗଙ୍ଗାଧର ଚିର ସୁନ୍ଦର ପ୍ରକୃତି କୁ ନିତ୍ୟ ନୂତନ ଦର୍ଶନ କରି ବିମୋହିତ ହୋଇଯାଇଛନ୍ତି। ସମୀରର ସୁଲୁସୁଲୁ ପ୍ରବାହ, ଝରଣାର କୁଳୁକୁଳୁ ତାନ, ପକ୍ଷୀର ମଧୁର କାକଳୀ, ଅନନ୍ତ ସାଗରର ନୀଳିମା, ବନ-ପର୍ବତ-ଲତାକୁଞ୍ଜର ସବୁଜିମା, ଉଷା ପ୍ରଦୋଷର ଛବିଳ ଦୃଶ୍ୟ, କେଳୀ କଦମ୍ବରେ ଶଙ୍ଖ ଫୁଙ୍କୁଥିବା ମଧୂପକୁ ଅତ୍ୟନ୍ତ ସୁନ୍ଦର ତଥା ଜୀବନ୍ତ ରୂପେ ବର୍ଣ୍ଣନା କରି ସ୍ୱୟଂ ଆତ୍ମବିଭୋର ହୋଇଯାଇଛନ୍ତି।
କବି ବିଶ୍ୱର ମଧୁମୟ ରୂପକୁ ଅତ୍ୟନ୍ତ ସୁନ୍ଦର ଭାବରେ ଉପଲବ୍ଧି କରି ପାରି ଥିଲେ। ଏହାକୁ ବର୍ଣ୍ଣନା କରିବାକୁ ଯାଇ କବି ଲେଖନ୍ତି-
“ବିଶ୍ୱ ଦେଖ ମଧୁମୟରେ ଜୀବନ
ବିଶ୍ୱ ଦେଖ ମଧୁମୟ,
ମଧୁର ଝରଣ କରିବ ହରଣ
ତୋ ପାପ ମରଣ ଭୟରେ ଜୀବନ,
ବିଶ୍ଵ ଦେଖ ମଧୁମୟ।”
(କବିତା- ମଧୁମୟ)
ପ୍ରକୃତି ମାତାଙ୍କ ସୌନ୍ଦର୍ଯ୍ୟକୁ ଉତ୍ତମ ରୂପରେ ହୃଦୟଂଗମ କରି ପାରିଥିଲେ କବି ଗଙ୍ଗାଧର। ଏହାକୁ ବର୍ଣ୍ଣନା କରିବାକୁ ଯାଇ କବି ତପସ୍ୱିନୀ କାବ୍ୟରେ ଲେଖନ୍ତି-
“କିଏ ଗୋ ତୁ ଜ୍ୟୋତିର୍ମୟୀ ଶୁଦ୍ଧ ଶୁଭ୍ରବେଶା,
ଇନ୍ଦ୍ରନୀଳ-ଦ୍ୟୁତି-ଜିତ-ମନୋହର-କେଶା? ”
ଉଷା ଆଗମନ କୁ ବ୍ୟକ୍ତ କରିବାକୁ ଯାଇ କବିଙ୍କ ଲେଖନୀ ରୁ ନିସୃତ ହୁଏ-
“ମଙ୍ଗଳେ ଅଇଲା ଉଷା ବିକଚ ରାଜୀବ ଦୃଶା,
ଜାନକୀ-ଦର୍ଶନ-ତୃଷା ହୃଦୟେ ବହି,
କର-ପଲ୍ଲବେ ନୀହାର ମୁକ୍ତା ଧରି ଉପହାର,
ସତୀଙ୍କ ବାସ ବାହାର ପ୍ରାଙ୍ଗଣେ ରହି ।
କଳକଣ୍ଠ-କଣ୍ଠେ କହିଲା,
ଦରଶନ ଦିଅ ସତୀ! ରାତି ପାହିଲା।”
(କାବ୍ୟ- ତପସ୍ୱିନୀ)
ମାନବର କର୍ତ୍ତବ୍ୟ ବୋଧ:
ମଣିଷର କର୍ତ୍ତବ୍ୟ ସମ୍ବନ୍ଧରେ ମାନବ ସମାଜକୁ ଜାଗୃତ କରିବାକୁ ଯାଇ କବି ଅନେକ ସମୟରେ ସତ୍ ମାର୍ଗ ମଧ୍ୟ ଦେଖାଇଛନ୍ତି। ଏ ସଂକ୍ରାନ୍ତରେ କବି ଲେଖନ୍ତି-
“କର୍ତ୍ତବ୍ୟ ସାଧନେ ଯଶ ଧନ ଲଭେ
ଦୁନିଆଁରେ କର୍ମବୀର,
ଭାଗ୍ୟକୁ ଆଦରି କାପୁରୁଷ ସିନା
ଦୁଃଖ ଭୋଗେ ବାରମ୍ବାର।”
(କବିତା ସଂକଳନ- ଅର୍ଘ୍ୟଥାଳି)
ମାତୃଭୂମି ଓ ମାତୃଭାଷା:
ମାତୃଭୂମି ଓ ମାତୃଭାଷା ପ୍ରତି ଲୋକଙ୍କ ମନରେ ମମତା ସୃଷ୍ଟି କରିବା ପାଇଁ କବି ଅନେକ ପ୍ରୟାସ କରିଥିଲେ। ମାତୃଭୂମି କବିତାରେ ସେ ଲେଖନ୍ତି:
“ମାତୃଭୂମି ମାତୃ ଭାଷାରେ ମମତା
ଯା’ ହୃଦେ ଜନମି ନାହିଁ,
ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ?”
ପୁନଶ୍ଚ ଉଦବୋଧନ କବିତାରେ ସେ ଲେଖିଛନ୍ତି:
“ଯା'ଭାଷା ଦୁର୍ବଳା କାହିଁ ତାର ଜ୍ଞାନ?
କାହିଁ ତାର ରାଜ ଦୁଆରେ ସମ୍ମାନ?
ଉଚ୍ଚ ହେବା ପାଇଁ କର ଯେବେ ଆଶା,
ଉଚ୍ଚ କର ଆଗେ ନିଜ ମାତୃଭାଷା।”
ନାରୀ ଚରିତ୍ର ଚିତ୍ରଣ:
ଗଙ୍ଗାଧରଙ୍କ ସାହିତ୍ୟର ଏକ ବହୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ନାରୀ ଚରିତ୍ର ଚିତ୍ରଣ। ଭାରତୀୟ ନାରୀମାନଙ୍କ ମହନୀୟତାକୁ ସର୍ବଦା ଲୋକଲୋଚନକୁ ଆଣିବାକୁ ପ୍ରୟାସ କରୁଥିଲେ କବି ଗଙ୍ଗାଧର। ତପସ୍ୱିନୀ ରେ ସୀତା, ପ୍ରଣୟ ବଲ୍ଲରୀ ରେ ଶକୁନ୍ତଳା, କୀଚକ ବଧରେ ବିରାଟ ରାଜ୍ୟରେ ସୈରେନ୍ଧ୍ରି ରୂପରେ ନିଜର ପରିଚୟ ଦେଉଥିବା ଦ୍ରୌପଦୀ, ଅହଲ୍ୟାସ୍ତବରେ ଅହଲ୍ୟା- ଏହିଭଳି ଅନେକ ମହିୟସୀ ମହିଳାଙ୍କ ଚରିତ୍ରକୁ ସେ ଚିତ୍ରିତ କରିଛନ୍ତି। ଭାରତୀୟ ନାରୀ ପତି ପରାୟଣା। ସତୀ ନାରୀ ସର୍ବଦା ନିଜ ସ୍ୱାମୀଙ୍କୁ ଦେବତା ସମ ସମ୍ମାନ ଦେବା ସହ ଭକ୍ତି ଅର୍ପଣ କରିଥାନ୍ତି। ପତି ପରିତ୍ୟକ୍ତା ସୀତା ପ୍ରଭୁ ଶ୍ରୀରାମଙ୍କ ଦ୍ୱାରା ନିର୍ବାସିତ ହୋଇଥିଲେ ହେଁ ସ୍ୱାମୀଙ୍କ ପ୍ରତି ତାଙ୍କ ମନରେ ଥିବା ଭକ୍ତିର ଦୃଷ୍ଟାନ୍ତ କବିଙ୍କ ଲେଖନୀରୁ ନିସୃତ ହୁଏ। ସୀତା ରାମଚନ୍ଦ୍ରଙ୍କୁ ଦୋଷ ନ ଦେଇ ନିଜ ଭାଗ୍ୟକୁ ଦୋଷ ଦେଇଛନ୍ତି। ନିୟତି ସହିତ ସମର କରିଛନ୍ତି ଓ ସ୍ୱାମୀଙ୍କ ସେବାରେ ନିଜ ଜୀବନକୁ ସମର୍ପିତ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ କବି ଲେଖନ୍ତି:
ପରଜାରଞ୍ଜନ ବ୍ରତେ ଅଟ ତୁମ୍ଭେ ବ୍ରତୀ
ମୁଁ ସହଧର୍ମିଣୀ ତୁମ୍ଭ ପଦାଙ୍କେ ମୋ ଗତି
ହେଉ ମୋର ନିର୍ବାସନ ପ୍ରକୃତିର ତୋଷ
ପ୍ରଭୁଙ୍କର ବ୍ରତ ହେଉ ସମ୍ପୂର୍ଣ୍ଣ ନିର୍ଦୋଷ।
(କାବ୍ୟ- ତପସ୍ୱିନୀ)
ପୁଣି ସେ ଲେଖନ୍ତି:
“ହେ ଧର୍ମ ! ନିଜ ଗୁଣେ ରହ ମୋ ଅଙ୍ଗେ
ନ ଡରି ଅନଳରେ ପଶ ମୋ ସଙ୍ଗେ
ଜୀବନେ ନ ପାରିଲେ ମୋତେ ମରଣେ
ସେବିକା କରି ଦେବ ପ୍ରଭୁ ଚରଣେ
ମୋ ତନୁ ଦଗ୍ଧ ହେଲେ ହେବ ତ ଖାର
ତାହାକୁ କରାଇବ ପାଦପେ ସାର
ସେ ତରୁ କାଷ୍ଠ ଦେଇ ବର୍ଦ୍ଧକୀ ହସ୍ତେ
କରାଇ ଦେବ ପ୍ରଭୁ ପାଦୁକା ମତେ।”
(କାବ୍ୟ- ତପସ୍ୱିନୀ)
ବିବିଧ ଶିକ୍ଷମୂଳକ କବିତା:
କବିଙ୍କ କାବ୍ୟ ସୃଷ୍ଟିର ପ୍ରତିଟି କୋଣ ଅନୁକୋଣରେ ଭରି ରହିଛି ମାନବ ସମାଜ ପାଇଁ ଶିକ୍ଷା ଓ ସଂସ୍କାରର ଅପୂର୍ବ ସମାବେଶ। ସମାଜ ଚେତନା, ଆଦର୍ଶ ନାରୀ, ସଂସ୍କୃତି, ଐତିହ୍ୟ, ପରମ୍ପରା, ମାନବର କର୍ତ୍ତବ୍ୟ, ସହିଷ୍ଣୁତା, ପରୋପକାର, ରାଜାର ଧର୍ମ, ଦେଶ ଭକ୍ତି, ପତି ପରାୟଣତା, ସ୍ନେହ-ପ୍ରେମ-ଦୟା-କ୍ଷମା-ଭକ୍ତିଭାବ, ସମର୍ପଣ ଭାବ, ଚରିତ୍ର ନିର୍ମାଣ ଆଦି ଅନେକ ବିଷୟରେ ସେ ବହୁ କାବ୍ୟ କବିତା ରଚନା କରି ଓଡ଼ିଆ ସାହିତ୍ୟ ଜଗତକୁ ପରିପୁଷ୍ଟ କରିଛନ୍ତି। ବିବିଧ ସମାଜ ସଂସ୍କାର ବିଷୟବସ୍ତୁ ଉପରେ ଆଧାରିତ କିଛି କବିତାକୁ ଉଦ୍ଧୃତ କରିବା ନିହାତି ଆବଶ୍ୟକ।
ପରୋପକାର-
ପର ଉପକାର ପୁଣ୍ୟମୟ ବ୍ରତ
ପାଳନ୍ତି ମହତ ଜନ,
ଉର୍ବୀ, ଦିବାକର ପର ଉପକାରେ
ଦିଅନ୍ତି ଶସ୍ୟ କିରଣ।
ପର ତାପ ଲଭି ମହତ କରନ୍ତି
ପରକୁ ଆହ୍ଲାଦ ଦାନ,
ସୁଶୀତଳ ଜଳ ଦାନ କରେ ରବି
ରଶ୍ମି ଲଭି ହିମବାନ।
ଉଚ୍ଚେ ଥାଇ ମଧ୍ୟ ନମ୍ର ହୋଇଥାନ୍ତି
ସତତ ମହତ ଜନ,
ରବି, ଶଶୀ, ତାରା କେଡ଼େ ଉର୍ଦ୍ଧ୍ୱେ ସ୍ଥିତ
ସମସ୍ତେ ନତବଦନ।
(କବିତା: ମହିମା)
ଅତି ସାଧାରଣ ରୁ ସାଧାରଣ ଜିନିଷ, ଜୀବ କିମ୍ବା କୌଣସି ବ୍ୟକ୍ତିର ସ୍ଵଭାବ ଓ ମହତ୍ତ୍ଵ କୁ ଉତ୍ତମ ରୂପେ ଚିହ୍ନିବାରେ ଗଙ୍ଗାଧର କେବେ ବି ଭୁଲ କରୁ ନଥିଲେ ଏବଂ ସେହି ବ୍ୟକ୍ତି ବା ଜୀବ ବା ଜିନିଷକୁ ସମ୍ମାନ ମଧ୍ୟ ଦେଉଥିଲେ। ଏ ସଂକ୍ରାନ୍ତରେ କବି ଲେଖନ୍ତି-
ନ କର ମାନବେ ଖୁଦ୍ର ଜୀବେ ଉପହାସ,
ନିଜର ଜୀବନ ଜ୍ୟୋତି କର ପରକାଶ।
(କବିତା- ଖଦ୍ୟୋତର ଖେଦ)
ମହତକୁ ଏକା ମହତ ଚିହ୍ନଇ
ଇତର ତହିଁ କି ଅନ୍ଧ,
ସୂର୍ଯ୍ୟୋଦୟ ଦେଖି ପ୍ରକୃତି ହସଇ
ଉଲ୍ଲୂକର ଦୃଷ୍ଟି ବଦ୍ଧ।
(କବିତା- ମହିମା)
ଯଶରେ ଆଦର ନାହିଁ ମହତର
ଯଶ ଆପେ ଲୋଡ଼ି ଯାଏ,
ଲୋଡ଼ା ବିନା ଦେଖ ଗଜରାଜ ଶିରେ
ମୁକ୍ତା ସ୍ୱତଃ ହୋଇଥାଏ।
(କବିତା- ମହିମା)
କର୍ମ-
ଉଚ୍ଚ ସେହୁ ଉଚ୍ଚ କର୍ମ କରେ ଯେଉଁ ଜନ,
କରମ ନିମନ୍ତେ ନାହିଁ ବଂଶ ପ୍ରୟୋଜନ।
ନୀଚ ହୋଇ କରେ ଯେବେ ଉତ୍ତମ କରମ,
ତା ଚରଣ ଉଚ୍ଚ ସେବେ ସଂସାର ଧରମ।
କର୍ମ ଯୋଗୁଁ ଲୌହ ଆସି ରହେ ସମାଦରେ
ଶୋଭିତ ହେବାକୁ ସ୍ଵର୍ଣ ଲାଗେ ତା ପାଦରେ।
(କବିତା- କର୍ମଗୁଣ)
ହୃଦ ପଛେ ଜଳେ ବିଦ୍ୟୁତ ଅନଳେ
ଜଳ ଦାନେ ଘନ ବାଧ୍ୟ,
ସୁଖ ତେଜି ରାଜା ତୋଷିବ ପରଜା
ତେବେ ତ ପରମାରାଧ୍ୟ।
(କାବ୍ୟ- ତପସ୍ୱିନୀ)
ସମର୍ପଣ ଭାବ:
କି ଦେଇ ପୂଜିବି ଯାହା ମୁଁ ଦେଖୁଛି
ସବୁ ତୁମ୍ଭରି ପ୍ରସାଦ,
ଯାହା ପରସାଦ ତାଙ୍କୁ ଅରପିଲେ
ହେବ ସିନା ଅପରାଧ।
ମୁ କାର ମାତର ମୋର ନୁହେଁ ବୋଲି
କହିବାକୁ ନାହିଁ ବାଟ,
ଦୂରୁଁ ଶ୍ରୀ ଚରଣେ ଅର୍ପଣ କରୁଛି
ଘେନ ତା ବିଶ୍ୱାସମ୍ରାଟ।
(କବିତା- ଭକ୍ତି)
ଗଙ୍ଗାଧରଙ୍କ ସାହିତ୍ୟ ସାଧନାକୁ ଅନୁଧ୍ୟାନ କଲେ ସ୍ପଷ୍ଟ ପରିଲକ୍ଷିତ ହୁଏ ଯେ ସେ ହେଉଛନ୍ତି ଜଣେ ସ୍ୱୟଂ ସମ୍ପୂର୍ଣ୍ଣ କବି। ଦାରିଦ୍ର୍ୟ ମଧ୍ୟରେ ଜର୍ଜରିତ ହୋଇଥିଲେ ସୁଦ୍ଧା ସେ ଆଦର୍ଶବାଦର ଜଣେ ପ୍ରତୀକ। ନିଜେ ଅଳ୍ପ ଶିକ୍ଷା ଲାଭ କରିଥିଲେ ହେଁ ମଣିଷ ସମାଜକୁ ଅନେକ ଶିକ୍ଷା ଓ ସଂସ୍କାରରେ ଅନୁପ୍ରାଣିତ କରିଛନ୍ତି ନିଜ ଲେଖନୀ ମାଧ୍ୟମରେ। କବିଙ୍କ ବର୍ଣ୍ଣନାରେ ଅଯଥା ଶବ୍ଦ କାଠିନ୍ୟ ନାହିଁ; ବରଂ ଅଛି ଅପୂର୍ବ ଶବ୍ଦ ବିନ୍ୟାସ, ପଦ ଲାଳିତ୍ୟ, ରସ ମାଧୁର୍ଯ୍ୟ। ଅଭାବ ଅନାଟନ କଦାପି ତାଙ୍କର କବି ପ୍ରତିଭାକୁ ମ୍ଳାନ କରି ପାରି ନଥିଲା। ଗଙ୍ଗାଧରଙ୍କ ସାହିତ୍ୟ ତାଙ୍କ ବ୍ୟକ୍ତିତ୍ୱର ଅଭିବ୍ୟକ୍ତିର ଏକ ସୁଦୃଷ୍ଟ ନିଦର୍ଶନ। ଗଙ୍ଗାଧର ଆଜି ଗତାୟୁ, ମାତ୍ର ତାଙ୍କର ଅସୀମ ତ୍ୟାଗ, ତିତୀକ୍ଷ୍ୟା, ସାଧନା ଓ ସାହିତ୍ୟ ପ୍ରତି ଅବଦାନ ଯୋଗୁଁ ସେ ଆଜି ଲୋକଙ୍କ ମାନସପଟରେ ଚିର ଉଜ୍ଜୀବିତ। ସେହି ମହାନ ମନିଷୀଙ୍କର ମହନୀୟ ମନୀଷାଲୋକ ଜାତି, ସମାଜ ତଥା ରାଷ୍ଟ୍ରକୁ ସର୍ବଦା ଦିଗଦର୍ଶନର ଆଲୋକ ପ୍ରଦାନ କରୁଛି। ଜାତି ଓ ସମାଜ ଯୁଗେ ଯୁଗେ ଯୋଗଜନ୍ମା ମହାପୁରୁଷଙ୍କର ପଦପାତରେ ହୁଏ ପୂତ, ଧନ୍ୟ, ମାର୍ଜିତ, ସଂଗଠିତ ଓ ରୁଦ୍ଧିମନ୍ତ। ତାଙ୍କର ସେବା ଜାତି ଓ ଦେଶ ପାଇଁ ଅବିସ୍ମରଣୀୟ ମହାନ ଦାନ। ତାଙ୍କ ରଚିତ କାବ୍ୟଗୁଡ଼ିକ ଯେଉଁପରି ମର୍ମସ୍ପର୍ଶୀ, ସେହିପରି ରସାଳ, ମଞ୍ଜୁଳ, ଚିତ୍ତାକର୍ଷକ ଓ ବେଶ୍ ଶିକ୍ଷଣୀୟ।
ରୀତେଶ ରଂଜନ ମେହେର
ସମ୍ବଲପୁର ବିଶ୍ୱବିଦ୍ୟାଳୟ
ମୋ- 8658283928
Comments
Good description of his literary works
ReplyDelete